Home / Odisha / ସୁନ୍ଦରଗଡ ଲୋକସଭାରେ BJDର ମହାଗଣିତରେ ଅସୁବିଧା ଭିତରକୁ ଯାଉଛନ୍ତି BJPର ହେଭିୱେଟ ମନ୍ତ୍ରୀ !!!

ସୁନ୍ଦରଗଡ ଲୋକସଭାରେ BJDର ମହାଗଣିତରେ ଅସୁବିଧା ଭିତରକୁ ଯାଉଛନ୍ତି BJPର ହେଭିୱେଟ ମନ୍ତ୍ରୀ !!!

ଗତ ନିର୍ବାଚନରେ ଦୈବାତ ଜିତିଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,କୁହାଯାଏ ତାଙ୍କ ଜିତିବାରେ 2014ର ମୋଦୀ ଲହର ଯେତିକି ଗୁରୁତ୍ବପୂର୍ଣ ନଥିଲା ତା’ଠୁ ଅଧିକ ଭୂମିକା ଥିଲା ଦିଲ୍ଲୀପ ରାଏଙ୍କ ନିଜସ୍ଵ ଭୋଟ ବ୍ୟାଙ୍କ ।ଏଥର ଏହି ଭୋଟ ବ୍ୟାଙ୍କ ସମ୍ପୂର୍ଣ BJD ନିୟନ୍ତ୍ରଣରେ ।ତୃଣମୂଳ ସ୍ତରର ସ୍ଥିତି ଯାହା ଏହି ଲୋକସଭା କ୍ଷେତ୍ରରେ ଗୋଟିଏ ହେଲେ BJP ବିଧାୟକ ପ୍ରାର୍ଥୀ ଜିତିବା ଅସମ୍ଭବ,ଏପରିକି ଜୁଏଲଙ୍କ ନିଜ ବିଧାନସଭା କ୍ଷେତ୍ର ବଣେଇରେ BJP ତୃତୀୟ ସ୍ଥାନରେ ରହିବ ।କମ୍ୟୁନିଷ୍ଟ-କଂଗ୍ରେସ ଏଠି BJD ସହିତ ଲଢେଇରେ ରହିବେ ।

ଗୋଟିଏ କଥା ଏବେ ସାରା ଓଡିଶାରେ ଚର୍ଚା ଚାଲିଛି,ବିଧାନସଭା ପାଇଁ BJDକୁ ଭୋଟ ଦେଇ କିଛି ଲୋକ ଲୋକସଭା ପାଇଁ ମୋଦୀଙ୍କୁ ଭୋଟ ଦେବେ ।ଏହାର ପ୍ରତିଶତ କେତେ ତାହା ଏବେଠୁ କଳନା କରିବା ମୁସ୍କିଲ ।ପ୍ରାୟତଃ ଏହା ସହରୀ ଭୋଟର ମାନଙ୍କ ଚିନ୍ତାଧାରା ହେଇପାରେ ।ତେଣୁ ରାଉରକେଲା ର ସହରୀ ଭୋଟ ଲୋକସଭା ପାଇଁ ମୋଦୀଙ୍କ ନାଁ’ରେ ଯାଇପାରେ ବୋଲି ଗୁଜବ ସୃଷ୍ଟି କରାଯାଉଛି,କିନ୍ତୁ ବାସ୍ତବରେ ଦେଶରେ ଆଜିଯାଏ କ୍ଵଚିତ ଏମିତି ଦୁଇଟି ଦଳ ବା ବିଚାରଧାରାକୁ ଗୋଟିଏ ନିର୍ବାଚନରେ ସମର୍ଥନ ମିଳିବା ଦେଖାଯାଇଛି ।ଏପରି ଦ୍ଵେତ ଭୋଟିଂ ର ପ୍ରତିଶତ ଏତେ ଅଳ୍ପ ଯେ ଏହା କୌଣସି ପ୍ରାର୍ଥୀକୁ ବିଜୟ ସମ୍ଭାବନା ପର୍ଯ୍ୟନ୍ତ ନେଇପାରି ନାହିଁ ।ତେଣୁ BJD ବା କଂଗ୍ରେସକୁ ଭୋଟ ଦେଉଥିବା ଲୋକ ମାନେ ଲୋକସଭା ପାଇଁ ମୋଦୀଙ୍କୁ ଭୋଟ ଦେବେ ବୋଲି   ଯେଉଁ BJP ନେତା ମାନେ  ଆଶା ବାନ୍ଧି ବସିଛନ୍ତି ତାହା ଅମୂଳକ ବା ନଗଣ୍ୟ ।

ଏଥର ସୁନ୍ଦରଗଡ ଲୋକସଭାରେ ଜୁଏଲ ଏବଂ କଂଗ୍ରେସ ଉଭୟଙ୍କୁ ଚେକ-ମେଟ ଦେବା ପାଇଁ ବହୁ ପୂର୍ବରୁ BJD ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଥିଲା ।ନିଜର ଶକ୍ତିଶାଳୀ ଏବଂ ନିର୍ଭରଯୋଗ୍ୟ ଭୋଟ ବ୍ୟାଙ୍କ ମହିଳା ଭୋଟକୁ ବାଦ ଦେଲେ ସୁନ୍ଦରଗଡରେ ଭୂୟାଁ ସମ୍ପ୍ରଦାୟର ଭୋଟ ସଂଖ୍ୟା ହେଉଛି ପ୍ରାୟ ଚାରିଲାକ୍ଷ ।ଏହି ଭୋଟ ବ୍ୟାଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ସମ୍ପୂର୍ଣ ଅନୁଗତ ଏବଂ ସେମାନଙ୍କ ଯୋଗୁଁ 2009ରେ ହେମାନନ୍ଦ ସାଂସଦ ହେଇପାରିଥିଲେ ।ଏହି ବିରାଟ ଭୋଟ ବ୍ୟାଙ୍କକୁ ଦଖଲ କରିବା ପାଇଁ BJD ହେମାନନ୍ଦଙ୍କ ଝିଅ ସୁନିତା ବିଶ୍ଵାଳଙ୍କୁ ସୁନ୍ଦରଗଡର ଲୋକସଭା ପ୍ରାର୍ଥୀ କଲା ଏବଂ ପୂର୍ବରୁ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଙ୍କୁ BJDରେ ସାମିଲ କରାଯାଇସାରିଥିଲା ।

ତଥାପି କାଳେ କେଉଁଠି କିଛି ଅସୁବିଧା ରହିବ ତେଣୁ କୁଶ ଆପଟ ଏବଂ ଭୀମ ଚୌଧୁରୀ ପରି ସ୍ଥାନୀୟ ପ୍ରଭାବଶାଳି ନେତା ମାନଙ୍କୁ ଜୁଏଲ ଓରାମଙ୍କ ନିଜ ବିଧାନସଭା କ୍ଷେତ୍ରରେ ସଜାଗ ରଖାଗଲା ମୋର୍ଚା ସମ୍ଭାଳିବା ପାଇଁ ।ତେଣୁ ସୁନ୍ଦରଗଡ ରୁ ବଣେଇ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସ୍ଥାନୀୟ ଗଣିତକୁ ଅତି ନିକଟରୁ ଅନୁଧ୍ୟାନ କରାଯାଇ BJD କଂଗ୍ରେସ ଏବଂ BJP କୁ ଘେରିବା ପାଇଁ ଚେଷ୍ଟା କରିଛି ।ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଲୋକସଭା ପାଇଁ କେତେ ଗୁରୁତ୍ଵ ସେକଥା ତାଙ୍କରି ଦୁଇଟି ରୋଡ ସୋ ରୁ ସ୍ପଷ୍ଟ ଅନୁମେୟ ।

ଜୁଏଲଙ୍କ ପାଇଁ ଆଉ ଏକ ସମସ୍ୟା ରହିଲା ମୋଦୀ ସରକାରରେ ତାଙ୍କର ଗୁରୁତ୍ଵକୁ ଗୌଣ କରିବା ପାଇଁ ବିଗତ ପାଞ୍ଚ ବର୍ଷରେ ତାଙ୍କ ଦଳ ଭିତରେ ତାଙ୍କୁ ଅନେକ ଅସହଯୋଗ କରାଯାଇଛି ।ସେ ଆଦିବାସୀ ମନ୍ତ୍ରୀ ହେଇ ମଧ୍ୟ ଓଡିଶାର ଆଦିବାସୀ ଛାତ୍ରବୃତି ଟଙ୍କା ର ଅନୁଦାନକୁ ସଙ୍କୁଚିତ କରାଯାଇଛି ।ରାଉରକେଲା କୁ ମୋଦୀ ଦେଇଥିବା ସମସ୍ତ ପ୍ରତିଶ୍ରୁତି କୁ ଉଲଂଘନ କରାଯାଇଛି,ସେ କ୍ୟାବିନେଟ ମନ୍ତ୍ରୀ ଥାଇ ମଧ୍ୟ,ରାଷ୍ଟ୍ର ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।ସବୁଠାରୁ ଗୁରୁତ୍ଵପୂର୍ଣ କଥା ହେଲା ବିମଳାଗଡ-ତାଳଚେର ପ୍ରକଳ୍ପର ସମସ୍ତ ଅନୁଦାନ ଟଙ୍କା ତାଳଚେର ରେ ଖର୍ଚ ହେଲା ଏବଂ ବିମଳାଗଡ ପଟରୁ କୌଣସି କାର୍ଯ୍ୟ ଆଗେଇଲା ନାହିଁ,ସୁନ୍ଦରଗଡ ପ୍ରତି କରାଯାଇଥିବା ଏହି ବୈମାତୃକ ଭାବ ବିରୁଦ୍ଧରେ ଜୁଏଲ ପ୍ରତିବାଦ କରିବା ବଦଳରେ ନୀରବ ରହିଲେ ।ତେଣୁ ଖୋଦ BJPର କିଛି ନେତା ମସୁଧା କରି ଜୁଏଲଙ୍କୁ ନିର୍ବାଚନରେ ହରେଇବା ପାଇଁ ପୂର୍ବରୁ ଅନେକ ବାଟ ସୃଷ୍ଟି କରିଥିଲେ ଯାହାର ଫଳ ଏହି ନିର୍ବାଚନରେ ହୁଏତ ଜୁଏଲ ଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ।

ଏହାକୁ ବାଦ ଦେଲେ ଖୋଦ ମୋଦୀଙ୍କ ଭାବମୂର୍ତି ସମଗ୍ର ଭାରତବର୍ଷରେ ଏବେ ବିଶ୍ଵାସ ଏବଂ ଅବିଶ୍ଵାସର ଦୋଛକିରେ ଦଣ୍ଡାୟମାନ ।କିଛି ଲୋକ ମୋଦୀଙ୍କୁ ବିନା ବିଚାରରେ ସମର୍ଥନ କରୁଛନ୍ତି ତ ଆଉ କିଛି ଲୋକ ମୋଦୀଙ୍କୁ ଘୋର ବିରୋଧ କରୁଛନ୍ତି ।ଜଣେ ନେତା ପାଇଁ ସମର୍ଥନ ଏବଂ ବିରୋଧର ଏହି ଉଗ୍ରରୂପ ଭାରତବର୍ଷରେ ଅତୀତରେ କେବେ ଦେଖାଯାଇ ନଥିଲା ।ଦେଶର ଆଦିବାସୀ ଏବଂ ସଂଖ୍ୟାଲଘୁ ମାନେ ମୋଦୀଙ୍କ ଉପରୁ ଆସ୍ଥା ହରେଇଥିବା ପରି ମନେହୁଏ ।ଦୁର୍ଭାଗ୍ୟକୁ ସୁନ୍ଦରଗଡ ଲୋକସଭା କ୍ଷେତ୍ର ଏକ ଆଦିବାସୀ ଏବଂ ସଂଖ୍ୟାଲଘୁ ବହୁଳ ନିର୍ବାଚନ ମଣ୍ଡଳୀ,ତେଣୁ ନିର୍ବାଚନ ଗଣିତ BJPକୁ ଏଥର ସହାୟକ ହେଇ ନପାରେ ।

About Ajirakhabar

Check Also

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help