Home / Odisha / ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor

ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ BJPକୁ ପ୍ରତ୍ୟାଖ୍ୟାନ କଲେ ଏବଂ ନବୀନଙ୍କ ଉପରେ ପୂର୍ବାପେକ୍ଷା ଅଧିକ ସଂଖ୍ୟା ଦେଇ ଭରସା କଲେ ।BJP ହେଲା ମୁଖ୍ୟ ବିରୋଧୀ ଦଳ ।ପୂର୍ବରୁ କଂଗ୍ରେସ ଥିଲା ରାଜ୍ୟର ପ୍ରମୁଖ ବିରୋଧୀ ଦଳ,କିନ୍ତୁ କ୍ରମାଗତ ଭାବରେ ଏହି ଦଳ ଶାସକ BJD ନିକଟରେ ଆତ୍ମସମର୍ପଣ କରିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ।ଭୁପିନ୍ଦର ସିଂ,ନବ ଦାସ,ଅନୁପ ସାଏ ଏବଂ ଯୋଗେଶ ସିଂ ଏହାର ଜ୍ଵଳନ୍ତ ଉଦାହରଣ,ଓଡିଶାରେ କଂଗ୍ରେସର ବିପର୍ଯ୍ୟୟର ଏହା ମଧ୍ୟ ଏକ ପ୍ରମୁଖ କାରଣ ।

ଏହି ସମୟ ଗୁଡିକରେ BJP ଓଡିଶାର ପ୍ରକୃତ ବିରୋଧୀଦଳର ଭୂମିକା ନେଇ BJD ସରକାର ବିରୋଧରେ ଆକ୍ରମଣ ଜାରି ରଖିଥିଲା ।ନିର୍ବାଚନ ପରେ ହଠାତ ଓଡିଶାର ରାଜନୈତିକ ଦୃଶ୍ୟପଟ ବଦଳିଗଲା ।ନିର୍ବାଚନ ସମୟରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଧର୍ମେନ୍ଦ୍ର ପ୍ରଧାନ ଯେଉଁ କଳାପାହାଡ ପ୍ରସଙ୍ଗ ଉତଥାପନ କରି ଅଣଓଡିଆ ଖଣି ମାଫିଆକୁ କ୍ଷମତାକୁ ଆସିବାର ପନ୍ଦରଦିନ ଭିତରେ ଜେଲ ପଠେଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ,ଜେଲ ବଦଳରେ ସେଇ ଖଣି ମାଫିଆର ଅଣଓଡିଆ ଏଜେଣ୍ଟକୁ BJD-BJP ମିଶି ରାଜ୍ୟସଭା ପଠେଇଲେ ।ଏଥିରୁ ଜଣାପଡେ ଓଡିଶାର ରାଜନୈତିକ ବ୍ୟବସ୍ଥା,ଉଭୟ ଶାସକ ଏବଂ ବିରୋଧୀ କିପରି ଜଣେ ଏବଂ ଏକାଧିକ ଖଣି ମାଫିଆଙ୍କ କବଜାରେ ପରିଚାଳିତ ।

ଅଶ୍ଵିନୀ ବୈଷ୍ଣବ ଜଣେ ଅଣଓଡିଆ ଏବଂ ବ୍ୟବସାୟୀ, ତାଙ୍କର ସମ୍ପର୍କ ରହିଛି ଖଣି ବ୍ୟବସାୟୀ ପ୍ରଭାକରନ ସହିତ ଯିଏକି ଜଣେ ଅଣଓଡିଆ କିନ୍ତୁ ବିଗତ ଦୁଇ ଦଶନ୍ଧି ଧରି ଓଡିଶାର ଖଣି ବ୍ୟବସାୟକୁ ନିୟନ୍ତ୍ରିତ କରୁଛନ୍ତି ।ଏହି ଅଣଓଡିଆ ବ୍ୟକ୍ତି ଜଣଙ୍କ କେମିତି ଏବଂ କେଉଁ ପରିସ୍ଥିତିରେ ସମଗ୍ର ରାଜ୍ୟର ଖଣି ବ୍ୟବସାୟକୁ କବଳିତ କରିନେଲେ,କଣ ଥିଲା ଏହା ପଛର ଷଡଜନ୍ତ୍ର ଏହାକୁ ଯଦି ଅନୁଶୀଳନ କରାଯାଏ ତାହେଲେ ଦେଖିବାକୁ ମିଳେ ଦୁର୍ନୀତିର ଚେର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କେନ୍ଦ୍ର ଖଣିମନ୍ତ୍ରାଳୟ,ପରିବେଶ ମନ୍ତ୍ରାଳୟ ଏପରିକି କେନ୍ଦ୍ରର ତତ୍କାଳୀନ UPA ସରକାର ପର୍ଯ୍ୟନ୍ତ ଲମ୍ବିରହିଛି ।

UPAକୁ ଏକ ଦୁର୍ନୀତିଗ୍ରସ୍ତ ସରକାର କୁହାଯାଉଥିଲା କିନ୍ତୁ ଓଡିଶାରୁ ଜଣେ ଅଣଓଡିଆ ଖଣିମାଫିଆଙ୍କ ବଚସ୍କରଙ୍କୁ ଉଭୟ BJD ଏବଂ BJP ମିଳିମିଶି ରାଜ୍ୟସଭା ପଠାଇବା ପରେ ପ୍ରମାଣିତ ହେଲା କେନ୍ଦ୍ରର ମୋଦୀ ସରକାର UPA ପରି ସମପରିମାଣରେ ଦୁର୍ନୀତିଗ୍ରସ୍ତ ।ଆମର ପ୍ରଥମରୁ ଧାରଣା ଥିଲା ଜଣେ ଅଣଓଡିଆ ପ୍ରଶାସକ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅଫିସ ପରିଚାଳିତ କରୁଛନ୍ତି କିନ୍ତୁ ସ୍ଥିତି କ୍ରମେ ସ୍ପଷ୍ଟ ହେଉଛି ଜଣେ ବ୍ୟକ୍ତି ନୁହେଁ ବରଂ ଗୋଟିଏ ଅଣଓଡିଆ ଗୋଷ୍ଠୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅଫିସ,ଓଡିଶାର ଶାସନ ଏବଂ BJD ଦଳକୁ ପରିଚାଳିତ କରୁଛନ୍ତି ।ତେଣୁ ଓଡିଶାର ସ୍ଵାର୍ଥ ଅପେକ୍ଷା ଏହି ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀର ପ୍ରମୁଖ ପ୍ରାଥମିକତା ହେଉଛି ଦୁର୍ନୀତି ଅଭିଯୋଗରୁ ସିବିଆଇ,ଇଡ଼ି,IT ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମାନଙ୍କ ନଜରରୁ ବଞ୍ଚିବା ପାଇଁ BJDର ଶକ୍ତିକୁ ଅପବ୍ୟବହାର କରିବା ।

BJD ଓଡିଶାର ଏକ ଆଞ୍ଚଳିକ ଦଳ ହେଇଥିଲେ ମଧ୍ୟ ଏହି ଦଳରେ ଓଡିଆତ୍ଵର ସତ୍ତା କ୍ରମେ କ୍ରମେ ବିଲୀନ ହବାରେ ଲାଗିଛି ।ବିଗତ ଦୁଇ ଦଶନ୍ଧି ଧରି ଏହି ଦଳର କିଛି ମୁଷ୍ଟିମେୟ ଦୁର୍ନୀତିଗ୍ରସ୍ତ ନେତା ଯେଉଁ ଅପକର୍ମରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ବଞ୍ଚେଇବା ପାଇଁ ଏହି ଦଳ ରାଜ୍ୟସଭା ନିର୍ବାଚନରେ ରାଜ୍ୟର ସ୍ଵାର୍ଥ ସହିତ  ଯେଉଁ ଐତିହାସିକ ସାଲିସ କଲା ତାହା ଆଗାମୀ ଦିନରେ BJDର ବିପର୍ଜ୍ୟୟର ମୂଳଦୁଆ ପକେଇଲା ।ଏଥିରେ ଲାଭ ହେଲା BJP ଏବଂ ସମ୍ପୃକ୍ତ ଅଣଓଡିଆ ପ୍ରଶାସକ ଏବଂ ଖଣି ବ୍ୟାପାରୀ ମାନଙ୍କ ଯେଉଁ ମାନଙ୍କ ପାଇଁ କେନ୍ଦ୍ର ସରକାରରୁ ବିପଦର ସମ୍ଭାବନା ଥିଲା ।କିନ୍ତୁ ଏଥିରେ ରାଜ୍ୟର ପ୍ରଭୂତ କ୍ଷତି ହବାକୁ ଯାଉଛି ।ଗଣତନ୍ତ୍ରରେ ଯେତେବେଳେ ବିରୋଧୀ ବିକ୍ରି ହେଇ ଯାଆନ୍ତି ସେତେବେଳେ ଶାସନରେ ଦୁର୍ନୀତି,ଅରାଜକତା ଏବଂ ସ୍ଵେଚ୍ଛାଚାରିତା ବଢିବାକୁ ଲାଗେ ।ଆଗକୁ ଓଡିଶାରେ ତାହାହିଁ ଘଟିବାକୁ ଯାଉଛି ।ସର୍ବଶେଷ ଉଦାହରଣ ହେଉଛି “ଫନି” ର ମୁକାବିଲା ।”ଫନି” ପରର ଥଇଥାନ ଅର୍ଥ କେତେ ବାଟମାରଣା ହେଇଛି ତାହାତ କଳନା କରିବା ମୁସ୍କିଲ କିନ୍ତୁ ଥଇଥାନର ଗତି ମନ୍ଥର ଏବଂ ନୈରାଶ୍ୟଜନକ ଏବଂ ଏହାକୁ ପ୍ରତିବାଦ କରିବାକୁ ରାଜ୍ୟରେ ବିରୋଧୀ ନାହାନ୍ତି ।

ଏବେ ସମଗ୍ର ଦେଶରେ କେନ୍ଦ୍ର ଏବଂ ଆଞ୍ଚଳିକ ସ୍ତରରେ ବିରୋଧୀମୁକ୍ତ ଶାସନ ଚାଲିଛି,ଅବଶ୍ୟ ଏହାରି ପଛରେ ଜନାଦେଶ ରହିଛି,କିନ୍ତୁ ଶାସନ ସ୍ଵେଚ୍ଛାଚାରିତା ଆଡକୁ ଅଗ୍ରସର ହେଉଛି ।ଗଣତନ୍ତ୍ରରେ ଏହା ଏକ ଅଶୁଭ ସଂକେତ ।

ରାଜନୈତିକ ରଣନୀତି ଆଧାରରେ ବିଜେଡ଼ିର ରାଜ୍ୟସଭା ନିଷ୍ପତ୍ତି ମଧ୍ୟ ଆଗକୁ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ।ତେବେ ଏଥିରେ BJP ଅପେକ୍ଷା କଂଗ୍ରେସ ଲାଭଦାୟକ ସ୍ଥିତିରେ ରହିବ ।ଗତ ନିର୍ବାଚନରେ ଓଡିଶାର BJD ବିରୋଧୀ ଭୋଟ  ସଂଗଠିତ ହୋଇ BJP ସପକ୍ଷରେ ଯାଇଥିଲା ଫଳରେ କଂଗ୍ରେସର ଭୋଟ କମିଲା ଏବଂ BJPର ଭୋଟ ହାର ଦୁଇ ଗୁଣ ବଢିଲା ।ରାଜ୍ୟବାସୀଙ୍କ ସେଇ ବିଶ୍ଵାସକୁ BJP ଦୁଇମାସ ମଧ୍ୟ ଅତୁଟ ରଖି ପାରିଲା ନାହିଁ ।ଆଗକୁ ସଂଖ୍ୟା କମ ଥିଲେ ମଧ୍ୟ କଂଗ୍ରେସ ହିଁ ରାଜ୍ୟରେ ପୂର୍ବ ପରି ବିରୋଧୀ ଦଳର ଭୂମିକା ନେବ ।

About Ajirakhabar

Check Also

ଆମ୍ବ-ନିଦ ଏବଂ ମୋଦୀ !!!!

ଲାଗେ କ୍ଷମତାର କ୍ଷୋଭ ଏବଂ ଲୋଭର ବିପକ୍ଷରେ ବିଶ୍ଵର କୌଣସି ଔଚିତ୍ୟ ପ୍ରତି ମୋଦୀଙ୍କ ପ୍ରତିବଦ୍ଧତା ନାହିଁ ।ଦେଶର ବୁଦ୍ଧିଜୀବୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help